ଡାହାଣି ସନ୍ଦେହରେ ଜଣକୁ ହତ୍ୟା, ୪ ଜଣଙ୍କୁ ଅଟକ ରଖିଲା ପୋଲିସ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ସତେ ଯେପରି ଗୁଣି ଗରେଡି, ଡାହାଣି ଆଦି ସନ୍ଦେହରେ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲାରେ ଥମିବାର ନା ନେଉନି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗାଁ ଗାଁ ରେ ସଚେତନ କାର୍ଯ୍ୟକ୍ରମ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ କେଉଁଠି ନା କେଉଁଠି ଦୁର୍ଗମ ଅଞ୍ଚଳରେ ପହଞ୍ଚିବାରେ ପ୍ରଶାସନ ବିଫଳ ହୋଇଛି । ଯାହା ପାଇଁ ଡାହାଣି ସନ୍ଧେହରେ ଜିଲ୍ଲାରୁ ଗଡ଼ିଛି ଆଉ ଏକ ମୁଣ୍ଡ । ଏପରି ଘଟଣା ଘଟିଛି ଝୁମ୍ପୁରା ଥାନା କଙ୍କଡ଼ାଯୋଡି ଘାଟି ମୁଣ୍ଡା ସାହିରେ । ଏହିସାହିର ସୁକଲାଲ ମୁଣ୍ଡା ହୋଇଛନ୍ତି ହତ୍ୟାର ଶିକାର । ମୃତ ସୁଖ ଲାଲଙ୍କ ପତ୍ନୀ ଚାବିରି ମୁଣ୍ଡାଙ୍କ ଏତଲା ଅନୁସାରେ ସେହି ସାହିର କିଛି ଲୋକଙ୍କ ସହିତ ସୁଖ ଲାଲଙ୍କର ପୂର୍ବରୁ କଜିଆ ହୋଇଥିଲା । ସେହି ସାହିର କେତେକ ଲୋକଙ୍କର ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିବାରୁ ଲୋକେ ଏଥି ପାଇଁ ସୁଖଲାଲ ଡାହାଣି ହୋଇ ଗୁଣିଆ କରୁଥିବା ସନ୍ଧେହ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ହେଲେ ଗତ ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ଦୁଇ ପକ୍ଷ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ଫଳରେ ସେହି ସାହିର ସୁନାରାମ ମୁଣ୍ଡା, ଶ୍ୟାମ ମୁଣ୍ଡା, ବୁଧୁରାମ ମୁଣ୍ଡା ଓ ଇନ୍ଦ୍ର ମୁଣ୍ଡା ମିଳିତ ଭାବେ ଠେଙ୍ଗାରେ ବାଡେଇ ସୁଖଲାଲକୁ ହତ୍ୟା କରିଥିବା ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଅଭିଯୋଗ ଅନୁଯାଇ ଉକ୍ତ ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି ।