ନକଲି ସୁନା ବଦଳ କରି ଲକ୍ଷାଧିକ ମୂଲ୍ୟର ସୁନା ଠକିନେଲେ ବୃଦ୍ଧ

ମୟୁରଭଞ୍ଜ, ବିଶ୍ୱଜିତ୍ ମହାନ୍ତି : ସୁନା ଲୁଟର ଅଭିନବ ଉପାୟ । ନକଲି ସୁନା ବଦଳ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏପରି ଅଭାବନୀୟ ଘଟଣା ସାମ୍ନା କୁ ଆସୁଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରୁ । ନୂତନ ଭାବେ ଖୋଲି ଥିବା ଓମ ମା”ମଙ୍ଗଳା ଜୁଏଲରୀରୁ ଗତ ଶୁକ୍ରବାର ଦିନ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ନକଲି ସୁନା ଚେନ କୁ ବଦଳ କରି ପ୍ରତିବଦଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ସୁନା ଗହଣା ସାମଗ୍ରୀ ଦୋକାନରୁ ନେଇ ଚମ୍ପଟ ମାରିଛନ୍ତି। ଏନେଇ ଦୋକାନର ମାଲିକ ରଞ୍ଜନ କୁମାର ସାହୁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଠାକୁରମୁଣ୍ଡା ବଜାର ଆନନ୍ଦପୁର ରାସ୍ତାର ‘ମହାନ୍ତି ମାର୍କେଟ କମ୍ପ୍ଲେକ୍ସ’ ରେ ୧ ମାସ ପୂର୍ବରୁ ନୂତନ ଭାବେ ଓମ ମା” ମଙ୍ଗଳା ଜୁଏଲରୀ ନାମରେ ଏକ ସୁନା ଦୋକାନ ଖୋଲିଥିଲେ । ତେବେ ଗତ ଶୁକ୍ରବାର ଦିନ ଦିନ ପ୍ରାୟ ୩.୩୦ ସମୟରେ ଜଣେ ବୃଦ୍ଧ ଲୋକ ଦୋକାନ କୁ ଆସି ୬୧ ଗ୍ରାମ ୭୦୦ ମିଲିଗ୍ରାମ ଓଜନର ଗୋଟିଏ ସୁନା ଚେନ ଆଣି ଦୋକାନ ରେ ଏହାକୁ ବଦଳାଇ ବିଭିନ୍ନ ପ୍ରକାର ର ଅଳଙ୍କାର ନେବାକୁ ଚାହିଁଥିଲେ। ସମ୍ପୁର୍କ୍ତ ବୃଦ୍ଧ ଜଣକ ବମ୍ବେରେ ୧୫ ବର୍ଷ ଧରି ଚାକିରୀ କରି ଅବସର ପରେ ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଘର କରି ରହୁଥିବାର ପରିଚୟ ଦେଇ ବିଶ୍ୱାସ ଜନ୍ମାଇ ଥିଲେ। ତାଙ୍କର ପୁଅ ଚାକିରୀ କରିଛି, ବର୍ତ୍ତମାନ ତାଙ୍କ ଝିଅ ବାହାଘର କରୁଥିବାରୁ ଏହା ବଦଳ କରି ବିଭିନ୍ନ ଅଳଙ୍କାର ନେବାକୁ ଆସିଥିବା କହିଥିଲେ । ସୁନା ଦୋକାନୀ ସେ ଆଣିଥିବା ସୁନା ଚେନଟି ବମ୍ବେର ଏକ ସୁନା ଦୋକାନର ବିଲ ରସିଦ ସହ ୯୧୬ ହୋଲ ମାର୍କ ଥାଇ ୬୧ ଗ୍ରାମ ଓଜନ ଯାହାର ବର୍ତ୍ତମାନ ମୂଲ୍ୟ ୨ ଲକ୍ଷ ୭୭ ହଜାର ଟଙ୍କାର ଦୋକାନୀ ଆକଳନ କରିଥିଲେ। ଦୋକାନୀ ଏହି ସୁନାର ପାରମ୍ଭିକ ପରୀକ୍ଷା କରି ଠିକ ସୁନା ଥିବାର ଜାଣିବାକୁ ପାଇଥିଲେ। ଏହାପରେ ବୃଦ୍ଧ ବଦଳ କରିଥିବା ଚେନ ମୂଲ୍ୟ ଅନୁଯାୟୀ ତାଙ୍କୁ ୯୬,୯୦୦ ଟଙ୍କା ମୂଲ୍ ଗୋଟିଏ ଚେନ ୩୭,୪୦୦ ଟଙ୍କା ମୂଲ୍ୟ ର ଗୋଟିଏ କାନ ଫୁଲ ୯୭,୯୫୦ ଟଙ୍କା ମୂଲ୍ୟର ଏକ ଚେନ ସହ ବାକି ନଗଦ ୧୮ ହଜାର ଟଙ୍କା ନେଇ ଦୋକାନରୁ ବୃଦ୍ଧ ପଳାଇ ଯାଇଥିଲେ । ତେବେ ଦୋକାନୀ ତା ପର ଦିନ ରଖି ଥିବା ୬୧ ଗ୍ରାମ ଓଜନ ର ସୁନା ଚେନକୁ ପରୀକ୍ଷା କରିବା ପରେ ଏଥିରେ ମାତ୍ର ୧୦ ଗ୍ରାମ ସୁନା ବାହାରିବା ନେଇ ଆକୋଳନ କରିଛନ୍ତି । ଏନେଇ ଦୋକାନୀ ମାଲିକ ସୋମବାର ଠାକୁରମୁଣ୍ଡା ଥାନାରେ ଜଣାଇ ଦୋକାନର ସି ସି ଟିଭି ଫୁଟେଜରୁ ତାଙ୍କର ଫୋଟ ଚିତ୍ର ଦେଇଥିବା ଜଣା ଯାଇଛି । ପୋଲିସ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅନୁସନ୍ଧାନ ଜାରି ରଖିଛି।

Comments are closed.