IPL ନିଲାମ : ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି ?

ଚେନ୍ନାଇ: ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ୧୪.୨୫ କୋଟି ଟଙ୍କାରେ ମ୍ୟାକ୍ସୱେଲଙ୍କୁ କିଣିଛି ଆରସିବି । ମ୍ୟାକ୍ସୱେଲଙ୍କୁ କିଣିବା ଲାଗି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଏବଂ ଆରସିବି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ସେହିପରି ଷ୍ଟିଭ ସ୍ମିଥଙ୍କୁ ୨.୨୦ କୋଟି ଟଙ୍କାରେ ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ବାଂଲାଦେଶର ଷ୍ଟାର କ୍ରିକେଟର ସାକିବ୍‌ ଅଲ୍‌ ହସନଙ୍କୁ ୩.୨୦ କୋଟି ଟଙ୍କାରେ ପୁଣି ଥରେ କେକେଆର କିଣିନେଇଛି ।

ଅନ୍ୟପଟେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜେସର ରାୟ, ଏଲେକ୍ସ ହେଲ୍‌ସଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି । ଆଜି ପ୍ରଥମ ନିଲାମ କରୁଣ ନାୟରଙ୍କ ନାମରୁ ଆରମ୍ଭ ହୋଇଥିଲା। ତାଙ୍କର ବେସ୍‌ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା। କିନ୍ତୁ ତାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନ ଥିଲେ।

ନିଲାମ ପ୍ରକ୍ରିୟାରେ ୮ଟି ଫ୍ରାଞ୍ଚାଇଜି ଏବଂ ୨୯୨ ଖେଳାଳି ସାମିଲ ଥିଲେ। ସେଥିମଧ୍ୟରୁ ୧୬୪ ଜଣ ଭାରତୀୟ ଖେଳାଳି ରହିଛନ୍ତି । ଇଂଲଣ୍ଡ ବୋଲର ମୋଇନ ଅଲୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ୭ କୋଟି ଟଙ୍କାରେ କିଣିଥିବାବେଳେ ଶିବମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୪ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି ।

ଆଇପିଏଲ ଅକ୍ସନରେ ସାମିଲ ହୋଇଥିବା ମୋଟ ୨୯୨ ଜଣ ଖେଳାଳିଙ୍କ ମଧ୍ୟରେ ସବୁଠୁ ବୟସ୍କ ଖେଳାଳି ୪୨ ବର୍ଷୀୟ ନୟନ ଦୋଶୀ ହୋଇଥିବା ବେଳେ ସବୁଠୁ କମ ବୟସର ଖେଳାଳି ୧୬ ବର୍ଷୀୟ ନୁର ଅହମଦ। ନୟନ ଏବଂ ନୁରଙ୍କ ବେସ୍‌ ପ୍ରାଇସ୍‌ ୨୦-୨୦ ଲକ୍ଷ ଲେଖାଏଁ ରଖାଯାଇଛି ।

Comments are closed.