ସାରସକଣା ତହସିଲ ଅଞ୍ଚଳରେ ଖୁଲମଖୁଲା ଚାଲିଛି ବେଆଇନ ବାଲି ଚାଲାଣ

ମୟୁରଭଞ୍ଜ, ବିଶ୍ୱଜିତ୍ ମହାନ୍ତି : ମୟୂରଭଞ୍ଜ ଜିଲ୍ଲାର ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସ୍ୱାର୍ଥ ମେଣ୍ଟାଇ ମୁରୁମ,ପଥର,ବାଲି ଭଳି ମୃଦୁ ଖଣିଜ ଦ୍ରବ୍ୟ ଉତ୍ତୋଳନ କରି ମାଫିଆ ମାନେ କୋଟି କୋଟି ଟଙ୍କାର ମୁନାଫା ପାଉଥିବା ବେଳେ ସରକାରଙ୍କ ତହସିଲକୁ ସେହି ସମ ପରିମାଣରେ ରାଜସ୍ବ କ୍ଷତି ସହିବାକୁ ପଡୁଛି ବୋଲି ପ୍ରତିଦିନ ଛାପା ଗଣମାଧ୍ୟମ ସହିତ ବୈଦ୍ୟୁତିକ ଗଣମାଧ୍ୟମରେ ଅଭିଯୋଗ ପ୍ରତିଫଳିତ ହେବାରେ ଲାଗିଛି । ମାତ୍ର କାର୍ଯ୍ୟାନୁଷ୍ଠାନ ବଦଳରେ ମିଳୁଛି ପ୍ରୋତ୍ସାହନ I ଏଥିଲାଗି ପ୍ରକୃତରେ ଦାୟୀ କିଏ ? ଅମଲାତନ୍ତ୍ର ନା ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ? ଏହା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅଞ୍ଚଳରେ ଚାଲିଥିବା ଦୀର୍ଘ ଦିନ ଧରି ବେଆଇନ ବାଲି ଚାଲାଣ । ସାରସକଣା ତହସିଲ ଅଧିନ ଶୀର୍ଷା ପଞ୍ଚାୟତର ରୁଗୁଡି ସାହି ଓ ବଙ୍ଗଳା ଘାଟରୁ ସମ୍ପୂର୍ଣ୍ଣ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପାଣ୍ଡରା ଘାଟରୁ ଅନୁମତିର ଅବଧି ସରି ଯାଇଥିଲେ ମଧ୍ୟ ଦିନ ରାତି ଜେସିବି ସାହାଯ୍ୟରେ ବାଲି ଉଠାଇ ହାଇୱା ଯୋଗେ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି । ମାତ୍ର ତହସିଲଦାର କିମ୍ବା ରାଜସ୍ୱ ନିରୀକ୍ଷକ ଏହାକୁ ନଜର ନଦେଇ ମଝିରେ ମଝିରେ ସରକାରୀ କିମ୍ବା ବେସରକାରୀ ନିର୍ମାଣ କାର୍ଯ୍ୟ ପାଇଁ ପରିବହନ କରୁଥିବା ଟ୍ରାକ୍ଟର ଗୁଡିକୁ ଲୋକ ଦେଖାଣିଆ ଭାବେ ଜରିମାନା ଆଦାୟ କରୁଥିବାର ନଜର ରହିଛି । ବେଆଇନ ଚାଲାଣ କରୁଥିବା ହାଇୱା ଗୁଡିକୁ ଅଣଦେଖା କରି ନଜର ନଦେବା ବେଆଇନ କାର୍ଯ୍ୟ ଧାରୀଙ୍କ ସହିତ ସ୍ୱାର୍ଥର ମଧୁର ସମ୍ପର୍କକୁ ପ୍ରମାଣିତ କରୁଛି I ଏପରିକି ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ଟ୍ରାକ୍ଟର ଠାରୁ ଜରିମାନା ଆଦାୟ କରି ନିଜର ଦାୟିତ୍ବ ସାରିଦେଉଛନ୍ତି ସତ, କିନ୍ତୁ ଯେଉଁ ଅଞ୍ଚଳରେ ବାଲି ଉଭୋଳନ ଦ୍ଵାରା ବଡ ବଡ ହ୍ରଦରେ ପରିଣତ ହୋଇଯାଇଛି ସେଥିପ୍ରତି ପ୍ରଶାସନର ନିଘା ନାହିଁ । ସେହିପରି ସୁବର୍ଣ୍ଣରେଖା ନଦୀ ଘାଟକୁ ସରକାର ନିଲାମ ଅବଧି ସରି ଯାଇଥିବା ସତ୍ୱେ କାହା ଆଶୀର୍ବାଦରେ ବାଲି ଉତ୍ତୋଳନ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯେତେବେଳେ ନିଲାମ ଅବଧି ରହିଥାଏ କେତେ ବାଲି ଉଠାନ୍ତି ତା’ର ହିସାବ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ଲୋକଟିଏ ଘର କରିବା ଲାଗି ଟ୍ରାକ୍ଟରରେ ବାଲି ଆଣିଲେ ତା ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉ ଥିବା ବେଳେ ବାଲି ମାଫିଆଙ୍କ ସହିତ ସାରସକଣା ତହସିଲଦାରଙ୍କ ମଧୁଚନ୍ଦ୍ରିକା ରହିଥିବାରୁ ମାଫିଆ ଦିନ ରାତି ହାଇୱା ଯୋଗେ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ କରୁଥିବା ନଜରକୁ ଆସିଛି। ସେହିପରି ସାରସକଣା ତହସିଲ ଅଧିନ ବାଘବୁଡା, ନୋଟା, କୋଳାପାଣି, ପାକଟିଆ, ପୋଖରଡ଼ିହା, କୋଟିଶଳ ଆଦି ଅଞ୍ଚଳରେ ଜଙ୍ଗଲ ନଷ୍ଟ କରି ଧଳା ପଥର ଖନନ କରି ରାତିରେ ବାହାର ରାଜ୍ୟକୁ ସହ ସହ ଟ୍ରିପ ଚାଲାଣ କରାଯାଉଛି ।

Comments are closed.