ଶାଶୁଘରେ ସ୍ତ୍ରୀକୁ ଯିଏ ବି ଆଘାତ କଲେ, ଦାୟୀ ରହିବେ ସ୍ୱାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏଣିକି ଶାଶୁଘରେ ସ୍ତ୍ରୀକୁ ଯାହା ବି କିଛି ଆଘାତ ଲାଗିବ, ସେଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ ରହିବ । ଶାଶୁ, ଶ୍ୱଶୁର ଏବଂ ସମ୍ପର୍କୀୟମାନେ ବି ଯଦି ବୋହୂକୁ ମାରପିଟ କରନ୍ତି, ସେଥିପାଇଁ ସ୍ୱାମୀଙ୍କୁ ହିଁ ଦାୟୀ କରାଯିବ । ଅନ୍ତର୍ଜାତୀୟ ଅମିଳା ଦିବସ ଅବସରରେ ଗତକାଲି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ । ସ୍ତ୍ରୀକୁ ମାରପିଟ କରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସମୟରେ ସୁପ୍ରିମ୍କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ, ସୁପ୍ରିମକୋର୍ଟ ଯେଉଁ ମାମଲାର ଶୁଣାଣି ଚାଲିଥିଲା ସେଥିରେ ଅଭିଯୁକ୍ତ ବ୍ୟକ୍ତି ଜଣକଙ୍କର ଏହା ତୃତୀୟ ବିବାହ ହୋଇଥିବା ବେଳେ ମହିଳାଙ୍କର ଦ୍ୱିତୀୟ ବିବାହ । ୨୦୧୮ରେ ଦମ୍ପତିଙ୍କର ଏକ ପିଲା ହୋଇଥିଲା । ପୀଡ଼ିତା ମହିଳା ଗତ ଜୁନରେ ନିଜ ଶାଶୁଘର ଲୋକଙ୍କ ବିରୋଧରେ ଲୁଧିଆନା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ଯୌତୁକ ଦାବି ପୂରଣ ନ କରି ପାରିବାରୁ ଶାଶୁଘର ଲୋକେ ତାଙ୍କୁ ପିଟିଛନ୍ତି ।

ସେପଟେ ଅଭିଯୁକ୍ତ ସ୍ୱାମୀ ନିଜ ଓକିଲ ମାଧ୍ୟମରେ ଯେତେବେଳେ ସୁପ୍ରିମକୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ, ତ ସିଜେଆଇ ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାକୁ ଖାରଜ କରି ଦେଲେ । ଖଣ୍ଡପୀଠ ଅଭିଯୁକ୍ତଙ୍କୁ କହିଥିଲେ ଯେ ‘ଆପଣ ଆପଣଙ୍କ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ତାଙ୍କର ଗର୍ଭପାତ ମଧ୍ୟ ହୋଇଯାଇଛି । ଆପଣ କେଉଁଭଳି ବ୍ୟକ୍ତି । ଏକ କ୍ରିକେଟ ବ୍ୟାଟ୍ରେ ସ୍ତ୍ରୀଙ୍କୁ ପିଟୁଛନ୍ତି?’

ଯଦିଓ ମହିଳା ଜଣକ ବ୍ୟାଟ୍ରେ ପିଟିବାର ଅଭିଯୋଗ ତାଙ୍କ ଶ୍ୱଶୁରଙ୍କ ଉପରେ ଲଗାଇଥିଲେ । କିନ୍ତୁ ଏହା ଉପରେ ସିଜେଆଇ କହିଥିଲେ ଯେ, ଏଥିରେ କୌଣସି ଫରକ ପଡେନି କି ଆପଣ କି ଆପଣଙ୍କ ପିତା ବ୍ୟାଟର ବ୍ୟବହାର କରି ମାରିଛନ୍ତି । ଯେତେବେଳେ ମହିଳାଙ୍କୁ ଶାଶୁଘରେ ଆଘାତ ଲାଗିଛି, ତାହାର ଦାୟୀ କେବଳ ସ୍ୱାମୀ ରହିବେ ।

Comments are closed.