ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ହୋଇଛି ଚାଷୀ ଆନ୍ଦୋଳନ

ଧାନକିଣା ପାଇଁ ଟୋକନ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଲେ ଚାଷୀ । ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ବିରୋଧ କରି ୨ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡିଶାର ଶହ ଶହ ଚାଷୀ । ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି ହଜାର ହଜାର ବସ୍ତା ଧାନ । ଏପଟେ ଟୋକନ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଜିଦ୍ ଧରି ବସିଛନ୍ତି ଚାଷୀ ।
ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ-ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଅତାବିରା ତହସିଲ ଅଫିସ୍‌ରେ ତାଲା ପକା ଯାଇଥିଲା । ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରି ଆଜି ବିଧାୟକମାନଙ୍କ ଘର ଆଗରେ ଧାନ ରଖି ଧାରଣା ଦେଇଛନ୍ତି ଶହ ଶହ ଚାଷୀ ।ରେଙ୍ଗାଲି ବିଜେପି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଜେଡି ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ କୁଚିଣ୍ଡା ବିଜେଡି ବିଧାୟକ କିଶୋର ନାୟକଙ୍କ ବାସଭବନ ଆଗରେ ପ୍ରତିବାଦ ଜଣାଇଛନ୍ତି ଚାଷୀ । ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ବସ୍ତା ଧାନ । ହେଲେ ବିକ୍ରି ହୋଇପାରୁନି । ଆଜି ସନ୍ଧ୍ୟା ସୁଦ୍ଧା ଦାବି ପୂରଣ ନହେଲେ ଆସନ୍ତାକାଲି ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବି ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଟୋକନ ବ୍ୟବସ୍ଥା ସଂପର୍କରେ ଅନେକ ଚାଷୀ ଜାଣିନାହାନ୍ତି।

Comments are closed.