ଯୁବକଙ୍କ ରହସ୍ୟମୟ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମାଲକାନଗିରି, ଅପୂର୍ବ ଥଣ୍ଡର : ଜିଲ୍ଲାର କୁଡୁମୁଦୁଗୁମ୍ମା ସ୍ଥିତ ସିନ୍ଦୀଗୁଡା ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଉକ୍ତ ଯୁବକ ଜଣକ ସ୍ଥାନୀୟ ବାସିନ୍ଦା ମାଧବ ଠାକୁରଙ୍କ ପୁଅ ବିକାଶ ଠାକୁର ବୟସ ପାଖାପାଖି ୩୦ ବର୍ଷ ବୋଲି ଜଣାପଡିଛି । ବିକାଶଙ୍କ ପେଶା ହେଉଛି ଟେଲରିଂ । ପରିବାରରେ ତାଙ୍କର ଆଉ ଦୁଇ ଜଣ ସାନ ଭାଇ ଓ ଜଣେ ଭଉଣୀ ଅଛନ୍ତି । ସୂଚନା ମିଳିଛି ଯେ ତାଙ୍କ ସାନ ଦୁଇ ଭାଇ ବାହା ହୋଇଛନ୍ତି, କିନ୍ତୁ ସେ ନିଜେ ଏ ପର୍ଯ୍ୟନ୍ତ ବାହା ହୋଇନାହାନ୍ତି । ବିଭିନ୍ନ ସମୟରେ ବିବାହ ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ବାହା ହେବା ପାଇଁ ମନ ବଢ଼େଇଲେ ନାହିଁ । ସେ ଭାଇ ମାନଙ୍କ ବାହା କରାଇବା ପରେ ନିଜ ବ୍ୟବସାୟରେ ଲିପ୍ତ ଥାଇ ବହୁତ ଖୁସିରେ ରହୁଥିଲେ । କିନ୍ତୁ ହଠାତ ତାଙ୍କର ଶରୀର ଏକ ମହୁଲ ଗଛରେ ଝୁଲନ୍ତା ଉଦ୍ଧାର କରାଯାଇଛି, ସେ କେବଳ ଗୋଟିଏ ଫୁଲ ପ୍ୟାଣ୍ଟ ଛଡା ଅନ୍ୟ କିଛି ପିନ୍ଧିନଥିଲେ, ରାଶି ବଦଳରେ ନିଜେ ପିନ୍ଧିଥିବା ସାର୍ଟ ଟିକୁ ବେକରେ ବାନ୍ଧି ପ୍ରାୟ ୨୦-୨୫ ଫୁଟ ଉଚ୍ଚରେ ଝୁଲିଯାଇଛନ୍ତି । ଏହି ବିଷୟରେ ଜାଣିବା ପରେ ପୁଲିସ ଅଧିକାରୀ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ମହାରଣା ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ଏବଂ ସ୍ଥାନୀୟ ଅଗ୍ନିଶମ ବିଭାଗର ସହଯୋଗରେ ଶବ ଟିକୁ ତଳେ ଓହ୍ଲାଇଥିଲେ । ପୁଲିସ ଅଧିକାରୀ ପ୍ରାଥମିକ ତଦନ୍ତ କରି କହିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ହୋଇପାରେ, ତଥାପି ଏହାର ପୋଷ୍ଟମେଟମ ପରେ ସବୁ କିଛି ସ୍ପଷ୍ଟ ପ୍ରମାଣିତ ହୋଇଯିବ । ବିକାଶଙ୍କ ଆତ୍ମହତ୍ୟା କରିବା ପଛରେ କାରଣ ଅସ୍ପଷ୍ଟ ଥିବାରୁ ତାଙ୍କର ଆତ୍ମୀୟ ମାନେ ଭାଙ୍ଗି ପଡିଛନ୍ତି ।

Comments are closed.