ଓଡିଶାର ଏହି ୨ ଜିଲ୍ଲାରେ ଲାଗିଲା କରୋନା କଟକଣା

ମାଲକାନଗିରି : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଣିକି ପରିବା ଓ ଖାଦ୍ୟ ସାମଗ୍ରୀ ଏକାଧିକ ସ୍ଥାନରେ ବିକ୍ରି ବ୍ୟବସ୍ଥା ହେବ ।

ଏହା ସହ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ସଂକ୍ରମଣ ଏଡାଇବାକୁ କଡା କଟକଣା ଲଗାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । କରୋନାକୁ ଦୃଷ୍ଟିରେ ଦୋକାନରେ ସାମାଜିକ ଦୂରତା ପାଇଁ ଦୋକାନୀମାନେ ଦଉଡି ବାନ୍ଧିବେ । ଦୋକାନକୁ ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଦୋକାନୀ ଜରିମାନା ଦେବେ ।

ଉଭୟ ଦୋକାନୀ ଓ ଗ୍ରାହକମାନଙ୍କୁ ମାସ୍କ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବ୍ୟବସାୟୀ ପ୍ରତିଷ୍ଠାନରେ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧର୍ମୀୟ ଅନୁଷ୍ଠାନରେ ମାସ୍କ ଓ ସାମାଜିକ ଦୂରତା ପାଇଁ ପରାମର୍ଶ ଦିଆଯାଇଛି । ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ କରାଯାଇଛି । ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଦିଆଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ତେବେ ଆଜି ରାଜ୍ୟରେ ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୧୨ ରହିଥିବା ବେଳେ ୨୫୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.