୨ ଦିନରେ ୨୦୦ରୁ ଅଧିକ ଟ୍ୟାଙ୍କ ହଟାଇଲା ଚୀନ୍

ନୂଆଦିଲ୍ଲୀ,୧୨ ।୨: ଶେଷରେ ପଛକୁ ହଟିଛି ଚୀନ୍ । ୨ ଦେଶ ମଧ୍ୟରେ ବୁଝାମଣା ପରେ ଖୁବଶୀଘ୍ର ପଛକୁ ଯାଉଛି ଚୀନ୍ । ଲଦ୍ଦାଖର LACରେ ଗତ ୯ ମାସ ଧରି ଭାରତ ସହ ତିକ୍ତତା ପରେ ଚୀନ୍ ପାଙ୍ଗୋଗ ହ୍ରଦର ଦକ୍ଷିଣ କୂଳରୁ ଟ୍ୟାଙ୍କ ପ୍ରତ୍ୟାହାର କରିବା ଆରମ୍ଭ କରିଛି । ଏକ ଭିଡିଓରେ ଟ୍ୟାଙ୍କଗୁଡିକ ପଛକୁ ହଟାଉଥିବାର ସ୍ପଷ୍ଟ ଭାବରେ ଦେଖାଯାଉଛି । ବୁଧବାର ଦିନ ଦୁଇ ଦେଶର ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହାପୂର୍ବରୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ପୂର୍ବ ଲଦାଖର ପାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷିଣ ମୁଣ୍ଡରେ ଅବସ୍ଥିତ ଭାରତ ଓ ଚୀନର ଫରୱାର୍ଡ ପୋଷ୍ଟରେ ସୈନ୍ୟମାନେ ବୁଧବାର ଠାରୁ ବ୍ୟବସ୍ଥିତ ଭାବରେ ପଛକୁ ଫେରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ଭାରତୀୟ ପକ୍ଷରୁ କୌଣସି ମନ୍ତବ୍ୟ ଗ୍ରହଣ କରାଯାଇ ନାହିଁ ।

ତେବେ ବୁଧବାର ସନ୍ଧ୍ୟାରେ ଟ୍ୟାଙ୍କ ଏବଂ ଯୁଦ୍ଧ ଯାନଗୁଡିକୁ ପାଙ୍ଗୋଙ୍ଗ ହ୍ରଦରୁ ପଛକୁ ହଟାଇବା କାମ ଆରମ୍ଭ ହୋଇଥିଲା। ପାଙ୍ଗୋଙ୍ଗ ହ୍ରଦର ଦୁଇଟି କୂଳରୁ ସମ୍ପୂର୍ଣ୍ଣ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର ୭ ଦିନ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଥିବା ସୂତ୍ରକୁ ପ୍ରକାଶ। ପ୍ରଥମ ପର୍ଯ୍ୟାୟ ପ୍ରତ୍ୟାହାର ସମାପ୍ତ ହେବା ପରେ ଉଭୟ ପକ୍ଷ ପାଟ୍ରୋଲିଂ ପଏଣ୍ଟ -୧୭ ଏବଂ ପାଟ୍ରୋଲିଂ ପଏଣ୍ଟ -୧୫ ଉପରେ ଆଲୋଚନା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

Comments are closed.